Unknown

ମରିବା ଡ଼ର

ଶ୍ରୀ ଭିକାରୀ ଚରଣ ପଟ୍ଟନାୟକ

 

(ରାଗ-ଗଡ଼ ମାଳିଆ)

(ତାଳ-ଆଡ଼ ତାଳି)

 

ମରିବା ଡ଼ରଟି ସମସ୍ତଙ୍କର ।

ଯେତେ ଜନମନ୍ତି ସମସ୍ତେ ମରନ୍ତି

ବଞ୍ଚି ନ ରହନ୍ତି ଜଣେ ମାତର ।

କରିବ ଯାହା ବିଚାର କର

ନ ଭୁଲ କେହି ନୁହ ଅମର ।

 

ମରିବା ଡ଼ରଟି ମନୁଷ୍ୟଙ୍କର,

ଥିଲେହେଁ ମନୁଷ୍ୟ ହେଜ ନ ରଖନ୍ତି

ମରିବାକୁ ଦିନେ ହେବ ମୁକର ।

ନ ଥାନ୍ତା ଯେବେ ମରିବା ଡ଼ର ।

କେଜାଣି କିସ କରନ୍ତେ ନର !

 

ଛାଡ଼ି ଦେଲେ ଖାଲି ମରିବା ଡ଼ର,

ଆଉ ଯେତେ ଡ଼ର ନର ନ ମାନନ୍ତି

ମଣନ୍ତି ସେ ଗୁଡ଼ା ଅତି ଇତର ।

ସମାଜ ପାଇଁ ନାହିଁ ଖାତର,

ଅନୀତି ନୀତି ହାତେ ତାଙ୍କର ।

 

ମଣନ୍ତି କ୍ଷମତା ଯେତେ ନିଜର,

ସମାଜରେ ଯେବେ ଯାହା ସେ କରିବେ

କରି ଯିବେ ନାହିଁ କାହାକୁ ଡ଼ର ।

ସମାଜ ପୁରା ହାତେ ତାଙ୍କର

ଦେବଙ୍କୁ ବଳି ଗଲେଣି ନର ।

 

ଈଶ୍ୱରଙ୍କୁ ଡ଼ର ନାହିଁ ତ ଆଉ,

ତାଙ୍କରି ଭିତରୁ କେତେ ମହେଶ୍ୱର

ଫୁଟି ଉଠୁଛନ୍ତି ଚାହୁଁ ନ ଚାହୁଁ ।

ଫିକର ଫାନ୍ଦି କେ କେତେ କାହୁଁ

ସାଧନ୍ତି ନିଜ ଭିତରେ ଦାଉ ।

 

ମନୁଷ୍ୟ ସମାଜ ମନୁଷ୍ୟଙ୍କର,

କିପାଇଁ କାହାକୁ ସେ ଆଉ ଡ଼ରିବେ ?

ଖେଳାନ୍ତି ଯେ ଯେତେ ଫନ୍ଦି ଫିକର

ଫନ୍ଦିରେ ଯେହୁ ଯେତେ ପ୍ରଖର

ସେହି ତ ମାଡ଼ି ବସେ ଶିଖର ।

 

ଥିଲା ଯେବେ ଡ଼ର ନାନା ପ୍ରକାର

ଚଳି ଯାଉଥିଲା ସୁଖରେ ସମାଜ

ବଦଳି ପଡ଼ୁଛି ଆକାର ତାର ।

ହେବାରୁ ସେହି ଡ଼ର ଅସାର

ଗଲାଣି ଚଳି ଦୁଃଖ ଭଣ୍ଡାର ।

 

ଡ଼ର ଥିଲା ମିଛ କହିବା ପାଇଁ

ଆଜି ମିଛ ଛାଡ଼ି ସତ ଯେ କହିବ

ଦଣ୍ଡେ ହେଲେ ଚଳି ପାରିବ ନାହିଁ

ଶୂନ୍ୟକୁ ରହି ଥିବ ସେ ଚାହିଁ

ଗାଇବ ଦୁଃଖ କେମନ୍ତେ କାହିଁ !

 

ବଢ଼ୁଛି ଯେ ଭଳି ମିଛ ବିସ୍ତାର

ଦାଣ୍ଡ, ଘାଟ, ଘରଠାରୁ ଦରବାର

ସବୁଆଡ଼େ ତୁଚ୍ଛା ମିଛ ବେପାର ।

ଶୁଣିବ କାନେ ଧର୍ମାବତାର,

ଗଣିବ ମିଛ କେତେ ପ୍ରକାର ।

 

୧୦

ନାହିଁ କାହିଁ ଆଜି ମିଛକୁ ଡ଼ର

ଖୋଜିଲେ ନ ପାଇ ମିଛ-ଶୂନ୍ୟ ସ୍ଥାନ,

ମିଛ ବିନା ଚଳି ନ ପାରେ ଘର,

ମିଛକୁ କରେ ଯେ ଅନାଦର

ତୁଛାକୁ ହୁଏ ସେ ହରବର ।

 

୧୧

ଲୋଡ଼ା ଏବେ ମିଛ ପ୍ରଚାର ପାଇଁ,

ବିଜୁଳି ଶକତି ବିଚକ୍ଷଣ ମତି

ସତ୍ୟ ପାଇଁ ସ୍ଥାନ ଖୋଜି ନ ପାଇ ।

ମିଥ୍ୟାର ଯୋଗ ଭୋଗୁ ଚାହିଁ

ଗଲାଣି ସତ୍ୟ କାହିଁ ପଳାଇ ।

 

୧୨

ରାଜା ଜମିଦାର ଗଲେଣି ବୁଡ଼ି

ସାହୁ ଖାତକାର ଯେତେ କାରବାର

ସେତିକ ବି କ୍ରମେ ଗଲାଣି ବୁଡ଼ି,

ସେମାନେ ବସି ଚୋବାନ୍ତି ମୁଢ଼ି

ଗଲାଣି ତାଙ୍କ ଡ଼ର ହୁରୁଡ଼ି ।

 

୧୩

ଥିଲା ମୁନିବଙ୍କୁ ଭୃତ୍ୟଙ୍କ ଡ଼ର,

ସେତିକ ଏଣିକି ଗଲାଣି ଓଲଟି

ଡ଼ର ବଢ଼ିଲାଣି ମୁନିବଙ୍କର ।

ଯା’ ସଙ୍ଗେ ଥିଲା ଯେଉଁ ଆଚାର

ଗଲାଣି ଫେରି ଆକାର ତାର ।

 

୧୪

ନ ଡ଼ରନ୍ତି ଏବେ ଗୁରୁଙ୍କୁ ଚାଟ

ପଦକ କଥାକୁ ଯୁକ୍ତି ସାତ ପଦ,

ଶୁଣି ଶୁଣି ଗୁରୁ ହୁଅନ୍ତି କାଠ ।

ନାହିଁ ତ ଆଉ ହାତରେ ଛାଟ,

ଓଲଟା ପାଠ, ଓଲଟା ବାଟ ।

 

୧୫

ପିଲା ଡ଼ରୁଥିଲେ ମାତା ପିତାଙ୍କୁ

ହେତୁ ହେଲାକ୍ଷଣି ସେ ଡ଼ର ଗଲାଣି

ଡ଼ରିଲେଣି ପିତା ମାତା ପିଲାଙ୍କୁ ।

ବୁଢ଼ାଏ ନିଜ ପିଲା ଦିନକୁ

ହେଜିଲେ କାବା ହେବେ ଏବକୁ ।

 

୧୬

ବୋହୁଙ୍କର ନାହିଁ ଶାଶୁଙ୍କୁ ଡ଼ର

ମୁରବି ପଣତେ କଥାରେ କଥାରେ

ଥିଲେ ଯେତେ ଡ଼ର ନାହିଁ ଏଥର ।

ପ୍ରଗତି ଚିହ୍ନ ଏହି ଆମର

ଉନ୍ନତି ଗତି ଆଜି ଦେଶର ।

 

୧୭

ମିଣିପଙ୍କୁ ଡ଼ର ମାଇପଙ୍କର,

ଥିଲା ଏତେକାଳ ଆଉ ନ ରହିବ,

କଦବା କାହିଁ ଯା, ଅଛି ମାତର;

ସେତିକ ଉଡ଼ିଯିବ ଏଥର

ନାରୀଙ୍କ ଜାରୀ ହେବ ପ୍ରଖର ।

 

୧୮

ଗ୍ରାମେ ଗ୍ରାମେ ଥିଲେ ଯେ ସେବାକାରୀ,

କୁମ୍ଭୀର, କେଉଟ, ସଙ୍ଖୁଆ, ମଳିକ,

ଗୋପାଳ, ଚମାର, ଧୋବା, ଭଣ୍ଡାରି,

କାମରେ ଡ଼ର ତାଙ୍କରି ଭାରି

ଥିଲା, ସେ ଆଉ ନାହିଁ କାହାରି ।

 

୧୯

କୁକ୍‌କୁର ଆମର ଥିଲେ ଦାଣ୍ଡରେ,

ଜାତୀୟ ଉନ୍ନତି ସଙ୍ଗେ ସଙ୍ଗେ ସେତ

ଉଠିଲେଣି ଦେଖୁ ଥାଇଁ ମୁଣ୍ଡରେ ।

ଚମକି ରହୁଥିଲେ ତୁଣ୍ଡରେ,

ଏବେ ତ ଚାଟିଲେରି ଗଣ୍ଡରେ ।

 

୨୦

ଆହୁରି କାହାର କେତେ ଏ ଭଳି

ଡ଼ର ଛାଡ଼ି ଯାଇ ସାହସ ବଢ଼ିଛି,

ସେତିକ ସହଜେ ନ ହେବ କଳି ।

ଏ ଭଳି ଡ଼ର ଭଳିକି ଭଳି

ଯା’ଥିଲା ସବୁ ଗଲାଣି ଜଳି ।

 

୨୧

ସବୁଠାରୁ ଥିଲା ଅଧିକ ଡ଼ର,

ଚୋରୀ କରି କେହି ଧରା ପଡ଼ିଗଲେ

ଅତି ହୀନ ମାନ ଦଶା ତାଙ୍କର ।

ଏ ଡ଼ର ଥିଲା ଯୁଗ ଯୁଗର,

ସେତକି ଆଉ ନାହିଁ ଏଥର ।

 

୨୨

ଚୋରୀ ଉଠିଲାଣି କାହିଁକା କାହିଁ

ଚୋରୀ ସନମାନ ବଢ଼ିଛି ଯେ ଭଚ୍ଚି

ଚୋରୀ ଡ଼ର ଆଉ ରହିବ କାହିଁ ?

ଚୋରଙ୍କୁ ଚୋର କହିବା ପାଇଁ

ଦେଶରେ ତୁଣ୍ଡ କାହାରି ନାହିଁ ।

 

୨୩

ଚୋରୀର ମହତ୍ତ୍ୱ ଯାଉଛି ବଢ଼ି,

ଚୋରୀ କରିବାକୁ କେହି ନ ଡ଼ରନ୍ତି,

ଚୋରୀ ନ କଲା ଯେ ଯାଉଛି ଗଡ଼ି,

ତଳକୁ ସେତ ଯାଉଛି ପଡ଼ି,

ଶୁଣୁଛି କିଏ କାହିଁ ତା ରଡ଼ି ।

 

୨୪

କେଉଁ ଲାଭ ସରି ଚୋରୀ ଲାଭକୁ ?

ଅଳପ ଚୋରୀରେ ସିନା ହରବର

ଡ଼ର ନାହିଁ ଉଠିଗଲେ ଉଚ୍ଚକୁ ।

ଉପରେ ସବୁ ଜନ ହିତକୁ

ଜଳତା ବାଣ ବୁଜେ ନେନ୍ତ୍ରକୁ ।

 

୨୫

ସାଧାରଣ ପାଣ୍ଠି ସମସ୍ତଙ୍କର,

ଯେ ହରି ପାରିବ, ଯେ ଜାରି ପାରିବ

ଜାଣିବ ପାରିଲା ପଣ ତାଙ୍କର ।

କାଗଜ ଥିଲେ ସଫା ସୁନ୍ଦର

ଧନ୍ଦିଲେ ଛନ୍ଦି ହେବ ମାତର ।

 

୨୬

ବେଶୀ ଡ଼ର ଥିଲା ଶାସନ ଦଣ୍ଡ,

ନ୍ୟାୟରୁ ଟଳିରେ କେବେ ଲଣ୍ଡଭଣ୍ଡ

ଗଣିବାକୁ ପୁଣି ପଡ଼ନ୍ତା ତଣ୍ଡ ।

ସେ ଡ଼ର ହୋଇ ଗଲାଣି ପଣ୍ଡ

ନ୍ୟାୟକୁ ଧରି ନାଚନ୍ତି ଭାଣ୍ଡ ।

 

୨୭

ଆହାର ଭିତରେ ବିଷ ମିଶାଇ

ବିକୁଛନ୍ତି ଜନ, କିଣୁଛନ୍ତି ଜନ,

ନ୍ୟାୟର ନମୁନା ଦେଖୁଆ ଚାହିଁ ।

ଡ଼ର ତ ଉଡ଼ି ଗଲାଣି କାହିଁ

ନ୍ୟାୟକୁ କିଏ ଖୋଜୁଛି କାହିଁ ?

 

୨୮

ଆଉ ଯେତେ ଡ଼ର ଯେତିକ ପାଇଁ

ସେତିକ ବି ଆଉ କେମନ୍ତେ ରହିବ,

ଡ଼ରର ମହତ୍ୱ କେ ବୁଝେ କାହିଁ !

ଡ଼ର ତ ଆଉ କାହାରି ନାହିଁ

କାହାକୁ କିଏ ଡ଼ରିବ କାହିଁ ?

 

୨୯

ଯେତେ ଯେତେ ଗୁଣ ମନୁଷ୍ୟଙ୍କର

ବିହି ଖଞ୍ଜିଛନ୍ତି ଜନମ କାଳରୁ

ତହିଁ ମଧ୍ୟେ ସାର ଗୁଣଟି ଡ଼ର ।

ଡ଼ରକୁ ଅନାଦର ନ କର

ବୁଝିବ କେତେ ଗୁଣ ଡ଼ରର ।

 

୩୦

ହୃଦେ ଡ଼ର ରଖି ଯାହା କରିବ

ଯେତେ ଯେ ଜଟିଳ ହେଲେ ଯେଉଁ କାମ

ଶେଷକୁ ସୁଫଳ ହେଳେ ମିଳିବ ।

ଡ଼ରିବା ଗୁଣେ ଫଳ ଫଳିବ,

ଡ଼ରିବା ଲୋଡ଼ା ବଳେ ଗୁଣିବ ।

 

୩୧

ଯେଉଁ କାମ କର ଡ଼ର ଆଗକୁ

ଜଗାଇ ରଖିଲେ ସେ ଡ଼ର ଆପଣେ

କାମକୁ ମଡ଼ାଇ ନେବ ବାଗକୁ ।

ନିନ୍ଦିବ ନାହିଁ କେବେ ଡ଼ରକୁ,

ଡ଼ରତ ଲୋଡ଼ା କାମ ସାଙ୍ଗକୁ ।

 

୩୨

ଅବିବେକ ପଣ ମରିବା ଡ଼ର,

ଜନମ ହେଲେ ତ ମରିବା ମୁକର

ବଞ୍ଚିବା ନିଶାଣ କାମ ଆମର ।

କାମରେ କେବେ ହେଳା ନ କର

ରହିବା ନାହିଁ ହୋଇ ଅମର ।

 

୩୩

ଡ଼ରି ଡ଼ରି ମରଣକୁ କେ କାହିଁ

ନ ମରି ରହିଛି କେବେ ଶୁଣା ନାହିଁ,

ତେବେ ମରଣକୁ ଡ଼ର କିପାଇଁ ?

ଡ଼ରିବା ନିଜ କାମକୁ ଚାହିଁ

ଡ଼ରିବା ଫଳ କାମରେ ପାଇ ।

 

୩୪

କାମ ମୂଳ ଧରି କାମରେ ଲାଗ

ଯେ କାମ କରିବ ଡ଼ର ରଖିଥିଲେ

ସେ କାମ ସଫଳ ହେବଟି ଆଗ ।

ମିଳିବ ସୁଖ ଶାନ୍ତିରେ ଭାଗ

ବାନ୍ଧିବ ଆପେ ଆପଣା ପାଗ ।

 

ସମାପ୍ତ